Bidyut Prava Devi

ଏହି ୱେବସାଇଟ୍ ଓଡ଼ିଆ କବି ବିଦ୍ୟୁତ୍ ପ୍ରଭା ଦେବୀ (୧୯୨୬-୨୦୨୬)ଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସୃଷ୍ଟି କରାଯାଇଛି।

ବିଦ୍ୟୁତ ପ୍ରଭା ୧୯୨୬ ମସିହାରେ ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ନିଅନ୍ତି I ତତ୍କାଲୀନ ସାମାଜିକ ମୂଲ୍ୟବୋଧ ଝିଅ ମାନଙ୍କୁ ପାଠ ପଢେଇବାର ବିମୁଖୀ ଥିଲା I ପିତା ନିମାଇଁ ଚରଣ ଦାସ ନିଜେ ସାହିତ୍ୟ କ୍ଷେତ୍ରରେ ଜଡିତ ଥାଇ ମଧ୍ୟ ଏପରି ଏକ ନିର୍ମମ ମାନସିକତାକୁ ଏଡେଇ ପIରି ନ ଥିଲେ I ଅଗତ୍ୟା ବିଦ୍ୟୁତ୍ ପ୍ରଭାଙ୍କ ପାଠ ପଢ଼ାରେ ନବମ ଶ୍ରେଣୀ ପରେ ଡୋରି ବନ୍ଧା ହେଲା I

ସେ ଯୁଗରେ ନାରୀ ସାଧାରଣତଃ ସ୍ୱାଧୀନତାର ଅଭାବ, ବିଦ୍ୟା ଓ ଶାସ୍ତ୍ରାଧ୍ୟୟନ ସୁଯୋଗରୁ ବଞ୍ଚିତା ହେଉଥିବାରୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାଙ୍କ ସଂଖ୍ୟା ଥିଲା ବହୁତ ନଗଣ୍ୟ । ପରବର୍ତ୍ତୀ ସମୟରେ ଗୃହଜଞ୍ଜାଳରେ ବ୍ୟସ୍ତ ଥିବା ସତ୍ୱେ ଯେଉଁ କେତେଜଣ ନାରୀ ନିଜର ସୁଦକ୍ଷ ଲେଖନୀ ଚାଳନା କରିଥିଲେ, ସେମାନଙ୍କ ମଧ୍ୟରୁ କବି ବିଦ୍ୟୁତ୍‌ ପ୍ରଭା ଏକ ବିଶେଷ ସ୍ଥାନର ଅଧିକାରିଣୀ । ତାଙ୍କଠାରେ କବିତ୍ୱ ଥିଲା ଏକ ନୈସର୍ଗିକ କଳା । ନିଜ ହୃଦୟର ଆବେଗ ଓ ଅନୁଭୂତିକୁ କେନ୍ଦ୍ର କରି ସ୍ୱତଃ ଆତ୍ମପ୍ରକାଶ ଲାଭ କରିଛି ତାଙ୍କର ଅନୁପମ କବିତା ଗୁଚ୍ଛ । ପାରମ୍ପରିକ କାବ୍ୟରୀତିରେ ଭାଷା ଓ ଛନ୍ଦର ଅପୂର୍ବ ସମନ୍ୱୟ ସହିତ, ଅଶେଷ ଭାବ-ବିହ୍ୱଳତାରେ ସେଗୁଡ଼ିକ ଉଚ୍ଛ୍ୱାସମୟ । ତାଙ୍କ କବିତାର ମୂଳ ଭିତ୍ତି ସତ୍ୟର ଅକପଟ ଅଭିବ୍ୟକ୍ତି — ଏହିଠାରେ କୃତ୍ରିମତା ପ୍ରବେଶ କରିପାରିନାହିଁ ।

ବିଦ୍ୟୁତ୍‌ପ୍ରଭାଙ୍କ କବିତା ପଢୁ ପଢୁ ମନେ ହୁଏ ଯେ ସେ କବିତା ଲେଖୁ ନଥିଲେ । ତାଙ୍କ କବିତ୍ୱର କାଉଁରି ସ୍ପର୍ଶରେ ମୁଗ୍ଧ ହୋଇ କବିତା ତାଙ୍କୁ ଆପେ ଆପେ ଧରା ଦେଉଥିଲା । ତାଙ୍କ ସୂକ୍ଷ୍ମ ରସବୋଧ ଏବଂ ସମ୍ବେଦନଶୀଳତାର କୁହୁକର ବଶବର୍ତ୍ତୀ ହୋଇ କବିତା ଛାଏଁ ଛାଏଁ ତାଙ୍କ ଲେଖନୀରୁ ନିଃସୃତ ହେଉଥିଲା ।

୧୯୬୩ ମସିହାରେ ବିଦ୍ୟୁତ ପ୍ରଭା ପ୍ରଥମ ଥର ପାଇଁ ପଣ୍ଡିଚେରୀ ଆସନ୍ତି ଏବଂ ଶ୍ରୀମାଙ୍କ ଦର୍ଶନ ହୁଏ । ଶ୍ରୀଅରବିନ୍ଦ ଆଶ୍ରମର ସୁସ୍ଥ ଓ ସୁଶୃଙ୍ଖଳ ପରିଚାଳନା ଦେଖି ସେ ବିମୋହିତ ହୁଅନ୍ତି । ଆଶ୍ରମ ଜୀବନ ତାଙ୍କୁ ସତେ ଯେମିତି ଏକ ଦିବ୍ୟଦୃଷ୍ଟି ଦିଏ । ଏହି ପରିବେଶ ତାଙ୍କର ପ୍ରତ୍ୟେକ ବିଭାବକୁ, କାର୍ଯ୍ୟଧାରାକୁ, ଦୈନନ୍ଦିନ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।

ପରବର୍ତ୍ତୀ ଜୀବନରେ ଶ୍ରୀଅରବିନ୍ଦ ଆଶ୍ରମ ହିଁ ତାଙ୍କର ସର୍ବସ୍ୱ ହେଲା । ସେ ନିଜକୁ ଓଡ଼ିଶାର ଅଧିବାସୀ ଭଳି ନୁହେଁ, ଆଶ୍ରମର ଅଧିବାସୀ ଭାବରେ ଅନୁଭବ କରିଥିଲେ । ମା ଓ ଶ୍ରୀ ଅରବିନ୍ଦଙ୍କ ଭକ୍ତମାନେ ତାଙ୍କ ପାଇଁ ଥିଲେ ପ୍ରକୃତ ବନ୍ଧୁ ଓ ଆତ୍ମୀୟ । ତାଙ୍କ କବିତ୍ୱ କେବଳ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ମହିମା କୀର୍ତ୍ତନ ଲାଗି ସମର୍ପିତ ହେଲା । ଆଧ୍ୟାତ୍ମିକ ଜଗତର ନିପୁଣା, ଏକନିଷ୍ଠ ସାଧିକା ରୂପେ ସେ ଆମ ସମ୍ମୁଖରେ ଥାପିଥିଲେ ଏକ ସତ୍ୟନିଷ୍ଠ ଓ ସେବାନିଷ୍ଠ ଜୀବନର ମହନୀୟ ଦୃଷ୍ଟାନ୍ତ ।

ଶ୍ରୀମାଙ୍କ ଆଦେଶ ଅନୁଯାୟୀ, ଜୀବନର ଶେଷ ଦିନଗୁଡ଼ିକୁ ସେ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ବାର୍ତ୍ତା ପ୍ରସାର ପାଇଁ ଉତ୍ସର୍ଗ କରିଦେଲେ । ତାଙ୍କ ଲକ୍ଷ୍ୟ ଥିଲା — ପ୍ରତିଟି ଘରକୁ ଏକ ଆଶ୍ରମରେ ପରିଣତ କରିବା ॥